ପଲ୍ ଜୁଲିୟସ୍ ଫ୍ରାଇହାର୍ ଭନ୍ ରଏଟସ୍ ‘ରଏଟସ୍’ ସମ୍ବାଦ ସ˚ଗ୍ରହ-ବିତରଣ ସ˚ସ୍ଥା ପ୍ରତିଷ୍ଠା କରିଥିଲେ। ଜର୍ମାନିର କାସେଲ୍ରେ ଏକ ଇହୁଦି ପରିବାରରେ ୨୧ ଜୁଲାଇ ୧୮୧୬ରେ ତାଙ୍କର ଜନ୍ମ ହୋଇଥିଲା। ଆଦ୍ୟ-ଯୌବନରେ ସେ ଗୋଟିଏ ବ୍ୟାଙ୍କ୍ରେ କିରାଣି ଭାବେ କାର୍ଯ୍ୟ କରୁଥିଲେ। ତାହା ପରେ ଏକ ପୁସ୍ତକ ପ୍ରକାଶନ ସ˚ସ୍ଥା ଆରମ୍ଭ କରିଥିଲେ। ହେଲେ, ଏହି ପେସାରେ ସୁଦ୍ଧା ଲମ୍ବା ସମୟ ରହିପାରି ନ ଥିଲେ। ଲଣ୍ତନ୍ ଆସି ସେ କିରସ୍ତାନ ଧର୍ମ ଗ୍ରହଣ କରିବା ସହ ନିଜର ଲମ୍ବା ନାମଟିକୁ ତ୍ୟାଗ କରି ପରିଚିତ ହୋଇଥିଲେ ପଲ୍ ରଏଟସ୍ ରୂପେ। ୧୮୪୮ରେ ବିପ୍ଳବୀଙ୍କ ସପକ୍ଷରେ ପ୍ରଚାର-ପତ୍ର ଛାପି ସେ ଶାସନ ବ୍ୟବସ୍ଥାର ବିଷ ଦୃଷ୍ଟିକୁ ଆସିଥିଲେ। ସମ୍ଭାବ୍ୟ ଗିରଫଦାରି ଏଡ଼ାଇବା ପାଇଁ ପାରିସ୍କୁ ପଳାୟନ କରିଥିଲେ। ସେଠାରେ ‘ଚାର୍ଲସ୍ ଲୁଇ ହାଭସ୍’ ନିଉଜ୍ ଏଜେନ୍ସି(ଯେଉଁଟି ଏବେ ‘ଏଏଫ୍ପି’ ବା ‘ଏଜେନ୍ସ ଫ୍ରାନ୍ସ ପ୍ରେସ୍’ ନାମରେ ସମଗ୍ର ବିଶ୍ବରେ ସୁପରିଚିତ)ରେ ଖବରଦାତା ଜୀବନ ଆରମ୍ଭ କରିଥିଲେ। କିଛି ବର୍ଷ ପରେ ଚାକିରି ଛାଡ଼ି ୧୮୫୧ରେ ଜର୍ମାନିର ଆଖନ୍ରେ ସେ ନିଜର ନିଉଜ୍ ଏଜେନ୍ସି ‘ରଏଟସ୍’ ଆରମ୍ଭ କରିଥିଲେ। ସେତେ ବେଳେ ରେଳ ଓ ପାରାଙ୍କ ମାଧ୍ୟମରେ ଖବର ବିତରଣ କରାଯାଉଥିଲା। ପାରା ଶୀଘ୍ର ପହଞ୍ଚାଉଥିବାରୁ ରଏଟସ୍, ଏହି ପକ୍ଷୀଙ୍କ ଉପରେ ଅଧିକ ନିର୍ଭର କରୁଥିଲେ। ପ୍ରଥମେ ତାଙ୍କର ଖବର ବିତରଣ ଆଖନ୍-ବ୍ରସେଲ୍ସ ମଧ୍ୟରେ ସୀମିତ ଥିଲା। ଟେଲିଗ୍ରାଫ୍ର ବିକାଶ ସହ ତାଙ୍କର ଖବର ବିତରଣ କାର୍ଯ୍ୟ ଇଉରୋପ୍-ଆମେରିକାର ବିଭିନ୍ନ ଅଞ୍ଚଳକୁ ସ˚ପ୍ରସାରିତ ହୋଇଥିଲା। ରଏଟସ୍ଙ୍କ ‘ରଏଟସ୍’ ୨୦୦୮ରେ ‘ଟମ୍ସନ୍ ରଏଟସ୍’ରେ ପରିଣତ ହୋଇଥିଲା। ୧୮୯୯ ଫେବ୍ରୁଆରି ୨୫ରେ ଫ୍ରାନ୍ସର ନିସ୍ରେ ରଏଟସ୍ଙ୍କ ପରଲୋକ ହୋଇଥିଲା।
Leave a Reply