ପ୍ରସିଦ୍ଧ ବଲିଉଡ୍‌ ଗାୟକ ମୁକେଶ …

MUKESH KUMAR @ RADIOLOVEBIRD
MUKESH KUMAR

ପ୍ରସିଦ୍ଧ ବଲିଉଡ୍‌ ଗାୟକ ମୁକେଶ(ଜନ୍ମ: ୨୨ ଜୁଲାଇ ୧୯୨୩; ମୃତ୍ୟୁ: ୨୭ ଅଗଷ୍ଟ୍‌ ୧୯୭୬)ଙ୍କ ପୂରା ନାମ ମୁକେଶ ଚଂଦ ମାଥୁର। ମୋହମ୍ମଦ ରଫୀ, ମନ୍ନା ଦେ ଓ କିଶୋର କୁମାରଙ୍କ ସହ ସେ ହିନ୍ଦୀ ଫିଲ୍ମ ଶିଳ୍ପରେ ଯେଉଁ ଛାପ ଛାଡ଼ିଯାଇଛନ୍ତି, ତାହା କାଳ କାଳକୁ ଅଲିଭା ହୋଇରହିବ। ତାଙ୍କୁ ‘ରାଜ କପୂରଙ୍କ ସ୍ବର’ କହାଯାଏ।

ମନୋଜ କୁମାର, ଫିରୋଜ ଖାନ, ଦିଲୀପ କୁମାର ଓ ସୁନୀଲ ଦତ୍ତଙ୍କ ପାଇଁ ମଧ୍ୟ ସେ ଅନେକ ଗୀତ ଗାଇଥିଲେ। ଗୀତିକାର ଶୈଲେନ୍ଦ୍ର, ସଂଗୀତ ନିର୍ଦେଶକ ଯୋଡ଼ି ଶଂକର-ଜୟକିଶନ, ପ୍ର‌େଯାଜକ-ନିର୍ଦେଶକ-ଅଭିନେତା ରାଜ କପୂର ଓ ମୁକେଶ ଅନେକ ବର୍ଷ ଧରି ଏକ ଦଳ ଭାବେ କାର୍ଯ୍ୟ କରିଥିଲେ।

ସେ ଲୁଧିୟାନାର ଏକ ମାଥୁର କାୟସ୍ଥ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଜୋରାୱର ଚଂଦ ଥିଲେ ଜଣେ ଯନ୍ତ୍ରୀ; ମାତା ଚନ୍ଦ୍ରାଣୀ ଗୃହିଣୀ। ଦଶ ଭାଇ-ଭଉଣୀଙ୍କ ମଧ୍ୟରେ ତାଙ୍କର ସ୍ଥାନ ଥିଲା ଷଷ୍ଠ। ବଡ଼ ଭଉଣୀ ସୁନ୍ଦର ପ୍ୟାରୀ, ସ˚ଗୀତ ଶିକ୍ଷା କରୁଥିବା ବେଳେ କାନ ଡେରି ବସୁଥିଲେ ଶିଶୁ ମୁକେଶ। ସ˚ଗୀତ ପାଇଁ ସେ ଦଶମ ଶ୍ରେଣୀ ପରେ ପାଠ ଛାଡ଼ିଦେଇଥିଲେ। ଦିଲ୍ଲୀର ପୂର୍ତ୍ତ ବିଭାଗରେ କିଛି କାଳ ଚାକିରି କରିଥିଲେ। ଏହି ସମୟରେ ଗାୟନ ଅଭ୍ୟାସ ସହ ତାଲିମ ନେଇଥିଲେ। କଳା-ଧଳା ଫିଲ୍ମ ଯୁଗର ଅଭିନେତା ମୋତୀଲାଲ ଥିଲେ, ତାଙ୍କର ପାରିବାରିକ ବନ୍ଧୁ। ମୋତୀଲାଲଙ୍କ ଭଉଣୀଙ୍କ ବିବାହ ବେଳେ ସେ, ମୁକେଶଙ୍କ କଣ୍ଠ ଶୁଣି ମୁଗ୍‌ଧ ହୋଇଥିଲେ ଏବଂ ତାଙ୍କୁ ବମ୍ବେ ଆଣିଥିଲେ। ୧୯୪୧ରେ ମୁକେଶ ଅଭିନେତା-ଗାୟକ ଭାବେ ପେସାଦାର କଳାକାର ଜୀବନ ଆରମ୍ଭ କରିଥିଲେ। ଫିଲ୍ମଟି ଥିଲା ‘ନିର୍ଦୋଷ’। ଫିଲ୍ମଟି ଫ୍ଲପ୍‌ ହେବାରୁ ମୁକେଶଙ୍କୁ ଆଉ କାମ ମିଳି ନ ଥିଲା। ୧୯୪୫ରେ ମୋତୀଲାଲଙ୍କ ଫିଲ୍ମ ‘ପହଲୀ ନଜର’ରେ ତାଙ୍କୁ ଗାୟକ ହେବା ପାଇଁ ସୁଯୋଗ ଦେଇଥିଲେ, ସ˚ଗୀତଜ୍ଞ ଅନୀଲ ବିଶ୍ବାସ। ଏହି ଫିଲ୍ମର ‘ଦିଲ ଜଲତା ହୈ ତୋ ଜଲନେ ଦୋ’ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ଏହି ଗୀତରେ ସେ ପ୍ରସିଦ୍ଧ ଗାୟକ-ଅଭିନେତା କୁନ୍ଦନ ଲାଲ ସହଗଲଙ୍କୁ ନକଲ କରିଥିଲେ। ଗୀତଟି ଶୁଣି କୁନ୍ଦନ ଲାଲ କହିଥିଲେ- ମୁଁ ଏହି ଗୀତଟି କେବେ ଗାଇଥିଲି, ମନେପଡ଼ୁନାହିଁ। ଗୀତଟି ଅନ୍ୟ ଜଣେ ଗାଇଥିବା ଶୁଣି, ସେ ଚକିତ ହୋଇଯାଇଥିଲେ।

କିଛି କାଳ ପର୍ଯ୍ୟନ୍ତ ‌ସହଗଲଙ୍କୁ ଅନୁକରଣ କରିବା ପରେ ସଂଗୀତଜ୍ଞ ନୌଶାଦ ଅଲୀଙ୍କ ସହଯୋଗରେ ସେ ନିଜର ଗାୟନ ଶୈଳୀ ବିକଶିତ କରାଇଥିଲେ। ‘ଅନୋଖୀ ଅଦା’, ‘ଅନ୍ଦାଜ’, ‌‘ମେଲା’ ଆଦିରେ ‌ନୌଶାଦଙ୍କ ସଂଗୀତ ନିର୍ଦେଶନାରେ ଗୁଡ଼ିଏ ଗୀତ ଗାଇ ସେ ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶଂକର-ଜୟକିଶନଙ୍କ ପାଇଁ ସେ ସର୍ବାଧିକ ୧୩୩ଟି ଗୀତ ଗାଇଥିଲେ ଏବଂ କଲ୍ୟାଣଜୀ-ଆନନ୍ଦଜୀଙ୍କ ପାଇଁ ଦ୍ବିତୀୟ ସର୍ବାଧିକ ୯୯ଟି ଗୀତ। ସେ ମୋଟ ୧୩୦୦ ଚଳଚ୍ଚିତ୍ର ସଂଗୀତ ଗାଇଥିଲେ। ସ୍ବାସ୍ଥ୍ୟହାନୀ କାରଣରୁ ୧୯୭୦ ପରେ ସେ ଗାଇବା କମାଇଦେଇଥିଲେ। ମୁକେଶ ଅଭିନୀତ ପ୍ରଥମ ଫିଲ୍ମ ଥିଲା- ‘ନିର୍ଦୋଷ’। ତାହା ପରେ ସେ ‘ଆଦାବ ୱର୍ଜ’(୧୯୪୩), ‘ଆହ’(୧୯୫୩; ରାଜ କପୂରଙ୍କ ଏହି ଫିଲ୍ମରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ), ‘ମାସୁକା’(୧୯୫୩), ‘ଅନୁରାଗ’(୧୯୫୬)। ତେବେ, ତାଙ୍କର କୌଣସି ଫିଲ୍ମ ଚାଲି ନ ଥିଲା।

ମୁକେଶ ନିଜର ଗାୟନ ପ୍ରତିଭା ପାଇଁ ଅନେକ ଥର ପୁରସ୍କୃତ ହୋଇଥିଲେ। ୧୯୭୪ରେ ‘ରଜନୀଗନ୍ଧା’ ଚଳଚ୍ଚିତ୍ର ପାଇଁ ‘କଈ ବାର ୟଁୂ ଭୀ ଦେଖା ହୈ’ ଗୀତ ଗାଇ ପାଇଥିଲେ, ଜାତୀୟ ପୁରସ୍କାର। ଚାରି ଥର ‘ଫିଲ୍ମଫେଆର୍‌ ପୁରସ୍କାର’ ପାଇଥିଲେ। ପ୍ରଥମ- ‘ସବ କୁଛ ସିଖା ହମନେ’; ଫିଲ୍ମ- ‘ଅନାଡ଼ୀ’(୧୯୫୯)। ଦ୍ବିତୀୟ- ‘ସବସେ ବଡ଼ା ନାଦାନ’; ଫିଲ୍ମ- ‘ପହଚାନ’(୧୯୭୦)। ତୃତୀୟ- ‘ଜୟ ବୋଲୋ ବେଈମାନ କୀ’; ଫିଲ୍ମ- ‘ବେଈମାନ’(୧୯୭୨)। ଚତୁର୍ଥ- ‘କଭୀ କଭୀ ମେରେ ଦିଲ ମେଁ’; ଫିଲ୍ମ- ‘କଭୀ କଭୀ’(୧୯୭୬)। ପ୍ରଥମ ତିନିଟି ‘ଫିଲ୍ମଫେଆର୍‌ ପୁରସ୍କାର’ ଶଂକର-ଜୟକିଶନଙ୍କ ନିର୍ଦେଶନାରେ ଗାଇଥିବା ଗୀତ ପାଇଁ ଏବଂ ଶେଷଟି ଖୟାମଙ୍କ ଗୀତ ପାଇଁ ପାଇଥିଲେ। ଏହା ଛଡ଼ା ‘ଫିଲ୍ମଫେଆର୍‌ ପୁରସ୍କାର’ ପାଇଁ ବାର ଥର ତାଙ୍କ ନାମ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲା। ୧୯୫୧ରେ ସେ ‘ମଲହାର’ ନାମକ ଫିଲ୍ମ ନିର୍ମାଣ କରିଥିଲେ।

ମୁକେଶଙ୍କ ଗୀତ ଶୁଣି, ତାଙ୍କ ପ୍ରେମରେ ପଡ଼ିଥିଲେ ବମ୍ବେର ଏକ କୋଟିପତି ବ୍ରାହ୍ମଣ ପରିବାରର ଝିଅ ସରଲା ତ୍ରିବେଦୀ ରାୟଚଂଦ। ମୁକେଶ ସେତେ ବେଳେ ଭଡ଼ାଘରେ ରହୁଥିବା ସାଧାରଣ ଗାୟକ। ବିବାହ ପାଇଁ ସରଲାଙ୍କ ପିତାଙ୍କ ଅନୁମୋଦନ ନ ଥିଲା। ୧୯୪୬ରେ ସରଲା ଘରୁ ପଳାୟନ କରି, ତେଇଶ ବର୍ଷ ବୟସ୍କ ମୁକେଶଙ୍କୁ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ଅଳ୍ପ କିଛି ମାସ ମଧ୍ୟରେ ବିଚ୍ଛେଦରେ ପରିଣତ ହେବ ବୋଲି ସମସ୍ତେ ଭାବୁଥିଲେ। ହେଲେ, ସେ ପରି କିଛି ଘଟି ନ ଥିଲା। ସେମାନଙ୍କ ବିବାହରୁ ପାଞ୍ଚ ସନ୍ତାନ ଜାତ ହୋଇଥିଲେ। ଏବର ଅଭିନେତା ନୀଲ ନିତିନ ମୁକେଶ ତାଙ୍କର ନାତି। କ୍ରିକେଟ୍‌ ଖେଳାଳି ସୁନୀଲ ଗାୱସକର, ଭାଗୱତ ସୁବ୍ରହ୍ମଣ୍ୟ ଚନ୍ଦ୍ରଶେଖର, ସୈୟଦ କିରମାନୀ ଓ ଗୁଣ୍ଡପ୍ପା ବିଶ୍ବନାଥ ଥିଲେ ମୁକେଶଙ୍କ ପ୍ରଶଂସକ। ମୁକେଶଙ୍କ ଗୀତ ଶୁଣି ଏକାଗ୍ରତା ବଢ଼ିଥିଲା ବୋଲି ପ୍ରତ୍ୟେକ କହିଥିବା ଜଣାଯାଏ। ୧୯୭୬ରେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଡେଟ୍ରଏଟ୍‌ରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ସେ ଏକ ଉତ୍ସବ ଅବସରରେ ଗାଇବା ପାଇଁ ସେଠାକୁ ଯାଇଥିଲେ। ତାଙ୍କ ପରଲୋକ ପରେ ସେ ପୂର୍ବରୁ ଗାଇଥିବା ଅନେକ ଗୀତ ବିଭିନ୍ନ ଫିଲ୍ମରେ ସ୍ଥାନ ପାଇଥିଲା। ଜୀବିତ ଅବସ୍ଥାରେ ସେ ଶେଷ ଗୀତ ‘ସତ୍ୟମ ଶିବମ ସୁନ୍ଦରମ’ ପାଇଁ ଗାଇଥିଲେ। ଗୀତଟି ଥିଲା- ‘ଚଂଚଲ ଶୀତଲ ନିର୍ମଲ କୋମଲ’। ଫିଲ୍ମଟି ତାଙ୍କ ପରଲୋକ ପରେ ମୁକ୍ତିଲାଭ କରିଥିଲା। ୧୯୯୭ରେ ମୁକ୍ତିଲାଭ କରିଥିଲା- ‘ଚଁାଦ ଗ୍ରହଣ’। ଏଥିରେ ଶେଷ ଥର ପାଇଁ ମୁକେଶ ଗାଇଥିବା ଏକ ଗୀତ ସ୍ଥାନ ପାଇଥିଲା।

ତଥ୍ୟ ସମ୍ପାଦନା – ସିନ୍ଧୁଜ୍ୟୋତି ତ୍ରିପାଠୀ

Spread the love

Be the first to comment

Leave a Reply

Your email address will not be published.


*