ଭାରତର ପ୍ରଥମ ଯୁଦ୍ଧ ବିମାନ ଚାଳକ: ଇନ୍ଦ୍ରଲାଲ ରାୟ

 ଭାରତର ପ୍ରଥମ ଯୁଦ୍ଧ ବିମାନ ଚାଳକ: ଇନ୍ଦ୍ରଲାଲ ରାୟ

ଯୁଦ୍ଧ ବିମାନ ବା ଫାଇଟର୍‌ ଏଆର୍‌କ୍ରାଫ୍‌ଟ ଚଳାଇଥିବା ପ୍ରଥମ ଭାରତୀୟ ପାଇଲଟ୍‌ ହେଉଛନ୍ତି ଇନ୍ଦ୍ରଲାଲ ରାୟ(ଜନ୍ମ: ୨ ଡିସେମ୍ବର୍‌ ୧୮୯୮; ମୃତ୍ୟୁ: ୨୨ ଜୁଲାଇ ୧୯୧୮)। ସେ ବ୍ରିଟିସ୍‌ ବାୟୁସେନା(‘ରୟାଲ୍‌ ଫ୍ଲାଇଂ କର୍ପ‌୍ସ’; ପରେ ‘ରୟାଲ୍‌ ଏଆର୍‌ ଫୋର୍ସ‌୍’)ରେ ପାଇଲଟ୍‌ ଭାବେ କାର୍ଯ୍ୟ କରୁଥିଲେ। ପୁଣି, ସେ ଏକ ମାତ୍ର ଭାରତୀୟ ବିମାନ ଚାଳକ ଭାବେ ପ୍ରଥମ ବିଶ୍ବ ଯୁଦ୍ଧ ଲଢ଼ିଥିଲେ। ପ୍ରତ୍ୟକ୍ଷ ଯୁଦ୍ଧରେ ଲଢ଼ି, ୬-୧୯ ଜୁଲାଇ ୧୯୧୮ ମଧ୍ୟରେ, ସେ ଦଶଟି ଜର୍ମାନ୍‌ ଯୁଦ୍ଧ ବିମାନକୁ ଧ୍ବଂସ କରିବାରେ ସଫଳ ହୋଇଥିଲେ। ପ୍ରଥମ ବିଶ୍ବ ଯୁଦ୍ଧ କାଳରେ ହିଁ ଫ୍ରାନ୍‌ସର କାଲ୍‌ଭଁାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରତି ପକ୍ଷ ବିମାନ ଆକ୍ରମଣରେ ତାଙ୍କ ବିମାନ ଧ୍ବଂସ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଚଳାଉଥିବା ବିମାନ ଧ୍ବଂସ ହେବା ପୂର୍ବରୁ, ଦୁଇଟି ଶତ୍ରୁ ପକ୍ଷର ବିମାନ ଖସାଇବାରେ ସଫଳ ହୋଇଥିଲେ। ସେତେ ବେଳେ ତାଙ୍କ ବୟସ ମାତ୍ର ଊଣେଇଶ ବର୍ଷ। ମାତ୍ର ୧୭୦ ଘଣ୍ଟାର ତାଲିମ ନେଇ ସେ ପ୍ରତ୍ୟକ୍ଷ ଯୁଦ୍ଧ ଲଢ଼ିଥିଲେ। ଅପୂର୍ବ ବୀରତ୍ବ ପାଇଁ ବ୍ରିଟିସ୍‌ ସରକାର, ତାଙ୍କୁ ମରଣୋତ୍ତର ‘ଡିସ୍‌ଟିନ୍‌ଗୁଇଜ୍‌ଡ ଫ୍ଲାଇଂ କ୍ରସ୍‌’ରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ଲାଭକରିଥିବା, ସେ ପ୍ରଥମ ଭାରତୀୟ। ୧୯୯୮ରେ ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଭାରତ ସରକାର ଏ ଡାକ ଟିକଟ୍‌ର ପ୍ରଚଳନ ଆରମ୍ଭ କରିଥିଲେ।

ଇନ୍ଦ୍ରଲାଲ କଲକାତାରେ ଜନ୍ମ ହୋଇଥିଲେ। ତାଙ୍କ ପିତା ପିଆରୀଲାଲ ରାୟ ଥିଲେ ଜଣେ ବାରିଷ୍ଟର୍‌। ମାତା ଲଲିତା ରାୟ ଗୃହିଣୀ। ସେ ପିତା-ମାତାଙ୍କ ଦ୍ବିତୀୟ ସନ୍ତାନ ଥିଲେ। ତାଙ୍କ ଗେହ୍ଲା ନାମ ଥିଲା- ‘ଲାଡି’। ସେମାନେ ମୂଳତଃ ବରିସାଲ(ଏ‌ବେ ବାଂଲାଦେଶରେ)ର ବାସିନ୍ଦା। ପିତାଙ୍କର ପୂର୍ବଜ ବରିସାଲର ଜମିଦାର ଥିଲେ। ଇନ୍ଦ୍ରଲାଲଙ୍କ ବଡ଼ ଭାଇ ପରେଶଲାଲ ବ୍ରିଟିସ୍‌ ସ୍ଥଳ ସେନାର ଆର୍ଟିଲାରି ଶାଖାରେ ପଦସ୍ଥ ଅଧିକାରୀ ଥିଲେ। ସେ ଥିଲେ ମୁଷ୍ଟିଯୋଦ୍ଧା ଏବଂ ‘ଭାରତୀୟ ମୁଷ୍ଟିଯୁଦ୍ଧର ଜନକ’ ଭାବେ ପରିଚିତ। ସ୍ଥାୟୀ ଭାବେ ବାସକରିବା ପାଇଁ ପିଆରୀଲାଲ ୧୯୦୧ରେ ସପରିବାର ଲଣ୍ଡନ୍‌ ଚାଲିଆସିଥିଲେ। ତେଣୁ, ଇନ୍ଦ୍ରଲାଲଙ୍କ ଶିକ୍ଷା ଲଣ୍ଡନ୍‌ ଅନ୍ତର୍ଗତ ହାମର୍‌ସ୍ମିଥ୍‌ରେ ଥିବା ଚାରି ଶହ ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନ ‘ସେନ୍‌ଟ ପଲ୍‌ସ ସ୍କୁଲ୍‌ ଫର୍‌ ବୟଜ୍‌’ରେ ଆରମ୍ଭ ହୋଇଥିଲା। ୨୮ ଜୁଲାଇ ୧୯୧୪ରେ ପ୍ରଥମ ବିଶ୍ବ ଯୁଦ୍ଧ ଆରମ୍ଭ ହେବା ବେଳକୁ ସେ ସ୍କୁଲ୍‌ ଛାତ୍ର ହିଁ ଥିଲେ। ସେ ଲଢ଼ୁଆ ବିମାନର ପାଇଲଟ୍‌ ଭାବେ ଯୁଦ୍ଧ ଲଢ଼ିବାକୁ ଇଚ୍ଛା କରିଥିଲେ। ସେଥି ପାଇଁ ବିଧି ମୁତାବକ ଆବେଦନ କରିଥିଲେ। ତେବେ, ଦୃଷ୍ଟି-ଶକ୍ତି ଜନିତ ସମସ୍ୟା ଥିବାରୁ ଇନ୍ଦ୍ରଲାଲଙ୍କୁ ପ୍ରଥମେ ବାୟୁ ସେନାରେ ଗ୍ରହଣ କରାଯାଇ ନ ଥିଲା। ହତାଶ ନ ହୋଇ ସେ ଉଦ୍ୟମ ଜାରିରଖିଥିଲେ। ନିଜର ‌େମାଟର୍‌ ବାଇକ୍‌ ବିକି, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଲାଞ୍ଚ ଦେଇ ସେ, ତାଙ୍କଠାରୁ ଆବଶ୍ୟକୀୟ ଫିଟ୍‌ନେସ୍‌ ପ୍ରମାଣ-ପତ୍ର ଯୋଗାଡ଼ କରିଥିଲେ। ତାଙ୍କ ଆବେଦନର ପୁନଃ ବିଚାର କରି, ତାଙ୍କୁ ବାୟୁ ସେନାରେ ସାମିଲ କରାଯାଇଥିଲା।

 ଭାରତର ପ୍ରଥମ ଯୁଦ୍ଧ ବିମାନ ଚାଳକ: ଇନ୍ଦ୍ରଲାଲ ରାୟ

୫ ଜୁଲାଇ ୧୯୧୭ରେ ତାଙ୍କୁ ବାୟୁ ସେନ‌ାରେ ନିଯୁକ୍ତି ମିଳିଥିଲା ଏବଂ ସଙ୍ଗେସଙ୍ଗେ ତାଲିମ ଆରମ୍ଭ ହୋଇଥିଲା। ୬ ଡିସେମ୍ବର୍‌ରେ ତାଲିମ କାଳରେ ବିମାନ ଦୁର୍ଘଟନାଗ୍ରସ୍ତ ହୋଇଥିଲା। ସେ ଗୁରୁତର ଭାବେ ଆହତ ହୋଇଥିଲେ। ଅଚେତ ଅବସ୍ଥାରେ ବେଶ୍‌ କିଛି ଘଣ୍ଟା ପଡ଼ିରହିବା ପରେ, ତାଙ୍କୁ ଉଦ୍ଧାର କରାଯାଇଥିଲା। ସେ ମୃତପ୍ରାୟ ଅବସ୍ଥାରେ ଥିଲେ। ତାଙ୍କୁ ମୃତ ଧରିନିଆଯାଇଥିଲା। ତେବେ, ତାଙ୍କର ଚେତା ଫେରିଥିଲା ଏବଂ ଅଳ୍ପ କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ବିମାନ ଉଡ଼ାଇବା ପାଇଁ ତାଙ୍କୁ ପ୍ରଥମେ ଅନୁମତି ମିଳି ନ ଥିଲା। ତେବେ, ସେ ଅତି ଜିଦ୍‌ଖୋର ଥିଲେ। ପ୍ରଚେଷ୍ଟା ଜାରିରଖି ସଫଳ ହୋଇଥିଲେ। ଜୁନ୍‌ ୧୯୧୮ରେ ସେ ପୁଣି ଥରେ ଯୁଦ୍ଧ ବିମାନର ପାଇଲଟ୍‌ ଭାବେ ନିୟୋଜିତ ହୋଇଥିଲେ। ଦ୍ବିତୀୟ ପାଳି ଆରମ୍ଭ କରିବାର ମାସକ ପରେ ସେ ସହିଦ ହୋଇଥିଲେ। ତାଙ୍କ ସମାଧି ଇସ୍‌ଟଭେଲିସ୍‌ରେ ଅଛି। ସ୍ମୃତି-ଫଳକରେ ବାଂଲାରେ ଲେଖାଅଛି- ‘ମହାବୀରେର ସମାଧି; ସଂଭ୍ରମ ଦେଖାଓ; ସ୍ପର୍ଶ କରୋନା’(ମହାବୀରଙ୍କ ସମାଧି; ସମ୍ମାନ ଦିଅ; ସ୍ପର୍ଶ କରନାହିଁ)।

ତଥ୍ୟ ସମ୍ପାଦନା – ସିନ୍ଧୁଜ୍ୟୋତି ତ୍ରିପାଠୀ

Spread the love

Be the first to comment

Leave a Reply

Your email address will not be published.


*