
୧୬ ଜୁଲାଇ ୧୯୩୬ରେ ଜନ୍ମ ହୋଇଥିଲେ ଅବିସ୍ମରଣୀୟ ନାଟ୍ୟକାର ବିଜୟ ମିଶ୍ର(ପରଲୋକ: ୨୬ ଏପ୍ରିଲ୍ ୨୦୨୦)। ତାଙ୍କ ନାଟକର କାହାଣୀ, ଚରିତ୍ର ଚୟନ ଏବଂ ସଂଳାପ ଅନନ୍ୟ-ଅସାଧାରଣ। ତାଙ୍କ କୈଶୋରର ଏକ ସ୍ମୃତି: ଏକ ଯାତ୍ରା ଦଳର କଳାକାରମାନେ ତାଙ୍କ ଘରେ ରହି ଅଭ୍ୟାସ କରୁଥିଲେ। ତାହା ଦେଖିଦେଖି ବିଜୟ ନାଟକ ଲିଖନ ପ୍ରତି ଆଗ୍ରହୀ ହୋଇଥିଲେ। ଯାତ୍ରା ଦଳ ଚାଲିଗଲା। ତେବେ, ବିଜୟଙ୍କ ଭିତରେ ଛାଡ଼ିଗଲା, ନାଟକ ଲେଖିବାର ନିଶା। ୧୯୬୦ରେ ଲେଖିଥିଲେ ପ୍ରଥମ ନାଟକ- ‘ଜନନୀ’। ତାହା ପରେ ‘ଅଶାନ୍ତଗ୍ରହ’,‘ତଟ ନିରଞ୍ଜନା’, ‘ଶବବାହକମାନେ’, ‘ଆର୍ତ୍ତନାଦ’, ‘ଅସତ୍ୟ ସହର’, ‘ଯାଦୁକର’, ‘ଏଠି, ସେଠି, ସବୁଠି’, ‘ବାନପ୍ରସ୍ଥ’, ‘ତିମିରତୀର୍ଥ’, ‘ଧର୍ମାବତାର’, ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ’ ଆଦି ରଚନା କରିଥିଲେ। ସମ୍ପର୍କର ଅଦୃଶ୍ୟ ରୂପ, ବିଘଟିତ ମୂଲ୍ୟବୋଧ, ମଣିଷର ଅନ୍ତର୍ଦ୍ବନ୍ଦ୍ବ, ତଥା ପ୍ରତିବାଦର କଳାତ୍ମକ ଉଚ୍ଚାରଣ ତାଙ୍କର ଅଧିକାଂଶ ନାଟକରେ ପ୍ରତିଫଳିତ।
‘ଜନନୀ’ ମଧ୍ୟ ମଞ୍ଚସ୍ଥ ହୋଇଥିବା, ତାଙ୍କର ପ୍ରଥମ ନାଟକ। ବିଜୟ, ‘ଅନ୍ନପୂର୍ଣ୍ଣା ବି ଗ୍ରୁପ୍’ରେ ନିର୍ଦେଶନା ଦେଉଥିବା ସାମୁଏଲ୍ ସାହୁଙ୍କୁ ନାଟକଟି ଦେଖାଇଥିଲେ। ସାମୁଏଲ୍ ନାଟକଟି ଦେଖି କହିଲେ, ବହୁତ ଭଲ ହୋଇଛି; ଏହାକୁ ମଞ୍ଚସ୍ଥ କରିବା। ତେବେ, କିଛି ପରିବର୍ତ୍ତନ ପାଇଁ ଉପଦେଶ ଦେଇଥିଲେ। ସେହି ବର୍ଷ ରଜ ବେଳେ ନାଟକଟି ମଂଚସ୍ଥ ହୋଇଥିଲା। ନାଟକଟି ଭଲ ଚାଲିଥିଲା। ନାଟକ ଦେଖି ଗଙ୍ଗାଧର ମେହର କଲେଜ୍ର ଜଣେ ଛାତ୍ର ଚମତ୍କୃତ ହୋଇଥିଲେ। କଲେଜ୍ର ବାର୍ଷିକ ଉତ୍ସବରେ ନାଟକଟିକୁ ମଞ୍ଚସ୍ଥ କରିଥିଲେ। ଉତ୍ସବକୁ ବିଜୟଙ୍କୁ ଡକାଯାଇଥିଲା। ତାଙ୍କ ପାଇଁ ସ୍ବତନ୍ତ୍ର ଆସନର ବ୍ୟବସ୍ଥା ମଧ୍ୟ ହୋଇଥିଲା। ତେବେ, କଲେଜ୍ର ଅଧ୍ୟକ୍ଷ ସେଠାରେ ତାଙ୍କୁ ବସେଇଦେଲେନାହିଁ। ସଦା ବିନମ୍ର ବିଜୟ ମୁହଁ ଖୋଲି ନ ଥିଲେ। କିଛି ସମୟ ପରେ ଅଧ୍ୟକ୍ଷ ମହାଶୟ ଜାଣିଲେ ଯେ, ଯାହାଙ୍କୁ ଉଠାଇଛନ୍ତି, ସେ ହିଁ ନାଟ୍ୟକାର। ଲଜ୍ଜାରେ ତାଙ୍କ ମୁହଁ ତଳକୁ େହାଇଯାଇଥିଲା। ବିଜୟଙ୍କ ଦ୍ବିତୀୟ ନାଟକ ଥିଲା ‘ଅଶାନ୍ତ ଗ୍ରହ’। ସେ ନାଟକଟିକୁ ନେଇ, ସାମୁଏଲ୍ ସାହୁଙ୍କ ପାଖକୁ ହିଁ ଯାଇଥିଲେ। ତାହା ପଢ଼ି ସାମୁଏଲ୍ ଖୁସି ହୋଇଥିଲେ। ବିଜୟ ଚାହୁଁଥିଲେ, ସେଥିରେ ସାମୁଏଲ୍ କିଛି ନାଚ-ଗୀତ ଖଞ୍ଜିଦିଅନ୍ତୁ। ସାମୁଏଲ୍ କିନ୍ତୁ ମନାକଲେ। କହିଥିଲେ, ଏଥିରେ ନାଚ-ଗୀତ ଲୋଡ଼ାନାହିଁ। ଏହା ଶୁଣି ‘ଅନ୍ନପୂର୍ଣ୍ଣା ବି ଗ୍ରୁପ୍’ର ମାଲିକ ଲିଙ୍ଗରାଜ ନନ୍ଦ ଅଶାନ୍ତି ହେଲେ। କହିଲେ, ବିନା ନାଚ-ଗୀତରେ କିଏ ଦେଖିବ? କଳାକାରମାନେ ବି ଚକିତ ହେଲେ। ହେଲେ, ନାଟକଟି ଛଅ ମାସ ପୂର୍ଣ୍ଣ-ଗୃହରେ ଚାଲିଥିଲା ଏବଂ ଓଡ଼ିଆ ନାଟକକୁ ଏକ ନୂଆ ମୋଡ଼ ଦେଇଥିଲା। ଏକଦା ଏକ ସାକ୍ଷାତ୍କାରରେ କହିଥିଲେ, ମୋ’ର ଅନେକ ନାଟକରେ ମୁଁ ନିଜେ ଥାଏ। ‘ଭଙ୍ଗା ଆଇନା’ର ବ୍ରୋକର୍ ଜଣକ ମୁଁ। ‘ଶବବାହକମାନେ’ରେ ବିରୂପାକ୍ଷ ମୁଁ। ଏକ ପ୍ରତିଯୋଗିତା ପାଇଁ ଗୋଟିଏ ରାତିରେ ଲେଖିଥିଲେ- ‘ଶବବାହକମାନେ’; ନବେ ପୃଷ୍ଠାର ନାଟକ। ପ୍ରତିଯୋଗିତାରେ ନାଟକଟି ପ୍ରଥମ ହୋଇଥିଲା।
ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସହ ମଧ୍ୟ ତାଙ୍କର ସଂପର୍କ ଥିଲା। ଚଳଚ୍ଚିତ୍ର କାହାଣୀ ଓ ସଂଳାପ ଲେଖୁଥିଲେ; ନିର୍ଦେଶନା ଦେଉଥିଲେ। ‘ଯାଯାବର’, ‘ରଜନୀଗନ୍ଧା’, ‘ଯାହାକୁ ରଖିବେ ଅନନ୍ତ’, ‘ଡୋରା’, ‘ମାନିନୀ’, ‘ପରଦେଶୀ ଚଢ଼େଇ’, ‘ଶ୍ରୀଜଗନ୍ନାଥ’, ‘କଳାମାଣିକ’, ‘ବାହୁଡ଼ିବେ ମୋ ଜଗାବଳିଆ’ ଆଦି ତାଙ୍କ କଲମରୁ ସୃଷ୍ଟ। ‘ଯାଯାବର’(ଏହାର ନିର୍ଦେଶନା ତିନି ଜଣ ଦେଇଥିଲେ; ଅନ୍ୟ ଦୁଇ ଜଣ- ଅକ୍ଷୟ ମହାନ୍ତି ଏବଂ ହେମନ୍ତ ଦାସ) ଓ ‘ରଜନୀଗନ୍ଧା’(ଏହା ବ୍ୟବସାୟିକ ସଫଳତା ହାସଲ କରିପାରି ନ ଥିଲେ ବି ବିଭିନ୍ନ ବିଭାଗରେ ଛଅ ଛଅଟି ପ୍ରାଦେଶିକ ପୁରସ୍କାର ପାଇଥିଲା)ର ନିର୍ଦେଶନା ଦେଇଥିଲେ। ସେ ଷାଠିଏରୁ ଅଧିକ ନାଟକ, ପଞ୍ଚାବନ ଚଳଚ୍ଚିତ୍ର ଏବଂ ସାତଟି ଧାରାବାହିକର ସ୍ରଷ୍ଟା। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଏବଂ ଜୟଦେବ ପୁରସ୍କାର ଆଦି ଅନେକ ସମ୍ମାନ ଓ ସ୍ବୀକୃତି ସେ ଲାଭ କରିଥିଲେ।
ପେସାଦାର ଜୀବନରେ ଥିଲେ ଯନ୍ତ୍ରୀ। ଅବସର କଟୁଥିଲା ନାଟକ ରଚନାରେ। ବାପା ଚାହୁଁ ନ ଥିଲେ ବିଜୟ ଲେଖାଲେଖି କରନ୍ତୁ। ବଡ଼ ପରିବାରର, ବଡ଼ ପୁଅ ଥିଲେ ବିଜୟ। ତେଣୁ, ବାପା ରୋଜଗାରକୁ ଗୁରୁତ୍ବ ଦେଉଥିଲେ। ତେବେ, ବିଜୟ ଲେଖା ଛାଡ଼ିପାରି ନ ଥିଲେ। ଲେଖିବାର ନିଶା ତାଙ୍କୁ ଛାଡ଼ି ପାରୁ ନ ଥିଲା। ୧୯୮୦ରେ ‘ଯାଦୁକର’ ପାଇଁ ସେ ଯେତେ ବେଳେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଲେ, ତାଙ୍କ ବାପା ବହୁତ ଆନନ୍ଦିତ ହୋଇଥିଲେ। ପତ୍ନୀ ଥିଲେ ତାଙ୍କ ଲେଖକ ଜୀବନର ସବୁଠାରୁ ବଡ଼ ସମର୍ଥକ। ବିଜୟ ଏକଦା ଏକ ସାକ୍ଷାତ୍କାରରେ କହିଥିଲେ, ପତ୍ନୀ କମଳା ସାହାଯ୍ୟ କରି ନ ଥିଲେ ମୁଁ ଏଠି ପହଞ୍ଚି ନ ଥାଆନ୍ତି। ତାଙ୍କ ପାଇଁ ଲେଖା ଏମିତି ଏକ ନିଶା ଥିଲା ଯେ, ଘର କଥା ଆଦୌ ବୁଝିପାରୁ ନ ଥିଲେ। ଏପରିକି ବିଜୟଙ୍କ ପାଇଁ ପୋଷାକ ବି ପତ୍ନୀ କମଳା କିଣିଆଣୁଥିଲେ। ଘରର ସମସ୍ତ କଥା ବୁଝୁଥିଲେ ଏବଂ ଦୁଇ ସନ୍ତାନଙ୍କ ଯତ୍ନ ବି କମଳା ଏକା ନେଉଥିଲେ। ବିଜୟ ରାତି ଅନିଦ୍ରା ହୋଇ ଲେଖୁଥିବା ବେଳେ କମଳା ଚାହା ଓ ପାନ ଆଣି ଟେବଲ୍ରେ ରଖିଦେଉଥିଲେ। ବେଳେ ବେଳେ ରାତିରେ ଉଠି ପଚାରୁଥିଲେ, କ’ଣ ଲେଖା ସରିବନି। ହେଲେ, କେବେ ହେଲେ ଲେଖାରେ ବାଧା ଦେଉ ନ ଥିଲେ।
Leave a Reply