ଆଣ୍ଟନ୍‌ ପାଭ୍‌ଲୋଭିଚ୍‌ ଚେକଭ୍‌

ବିଶିଷ୍ଟ ରସିଆନ୍‌ ଲେଖକ ଆଣ୍ଟନ୍‌ ପାଭ୍‌ଲୋଭିଚ୍‌ ଚେକଭ୍‌(ଜନ୍ମ: ୨୯ ଜାନୁଆରି ୧୮୬୦; ମୃତ୍ୟୁ: ୧୯୦୪ ଜୁଲାଇ ୧୫ରେ)ଙ୍କୁ ‘ରସିଆର ମୋପାସଁ’ କହାଯାଏ। ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ହେଁ ସେ ଛାତ୍ର-ବୃତ୍ତି ପାଇ ମସ୍କୋ ୟୁନିଭର୍ସିଟି ମେଡିକାଲ୍‌ ସ୍କୁଲ୍‌ରୁ ଭେଷଜ ବିଜ୍ଞାନରେ ଡିଗ୍ରି ଲାଭକରିପାରିଥିଲେ। ଛାତ୍ରାବସ୍ଥାରେ ତାଙ୍କର ଲେଖକ ଜୀବନ ଆରମ୍ଭ ହୋଇଥିଲା। ପ୍ରଥମାବସ୍ଥାରେ ସେ ‘ଆନ୍ତୋସା ଚେଖୋନ୍ତ୍‌’ ଛଦ୍ମନାମରେ ବିଭିନ୍ନ ବ୍ୟଙ୍ଗ ପତ୍ରିକା ପାଇଁ ଗଳ୍ପ ଲେଖୁଥିଲେ। ଡାକ୍ତର ଭାବେ ମସ୍କୋ, ହଂକଂ, ସିଙ୍ଗାପୋର୍‌ ଓ ଏକାଧିକ ଇଉରୋପୀୟ ରାଷ୍ଟ୍ରରେ କାମ କଲା ପରେ ସେ ସ୍ବଦେଶର ମେଲିଖୋଭ୍‌ରେ ହଇଜା ବିଭାଗୀୟ ମୁଖ୍ୟ ଚିକିତ୍ସକ ଭାବେ ନିଯୁକ୍ତି ପାଇଥିଲେ। ଅନେକ ସମୟରେ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଉଥିଲେ। ଏହି ସମୟରେ ତାଙ୍କର ଶ୍ରେଷ୍ଠ କୃତିଗୁଡ଼ିକ ସୃଷ୍ଟି ହୋଇଥିଲା। ସେ ଦୟାଳୁ ମଣିଷ ଥିଲେ। ମେଲିଖୋଭ୍‌ରେ ଏକ ଘର କିଣି, ଘରୋଇ ଚିକିତ୍ସାଳୟରେ ପରିଣତ କରିଥିଲେ। ସେଠାରେ ଗରିବଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା। ଏପରିକି ବିନା ଖର୍ଚ୍ଚରେ ରୋଗ ଭଲହେବା ଯାଏ, ସେମାନେ ସେଠାରେ ରହିପାରୁଥିଲେ। ଚାଳିଶ-ପଚାଶ କିଲୋମିଟର୍‌ ଦୂରରୁ ସୁଦ୍ଧା ତାଙ୍କ ପାଖକୁ ରୋଗୀ ଆସୁଥିଲେ। ଡାକ୍ତର ଭାବେ ସେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ। ସେ ତିନିଟି ବିଦ୍ୟାଳୟ ଏବଂ ଗୋଟିଏ ଅଗ୍ନିଶମ ସେବା ସଂସ୍ଥା ଖୋଲିଥିଲେ।

ଚେକଭ୍‌ଙ୍କ ‘ୱାର୍ଡ‌୍‌ ୬’ ପଢ଼ି ଲେନିନ୍‌ ବିପ୍ଳବୀରେ ପରିଣତ ହୋଇଥିବା ସ୍ବୀକାର କରିଥିଲେ। ଜର୍ଜ‌୍‌ ବର୍ନାଡ୍‌ ସ ଏକଦା କହିଥିଲେ- ‘ଚେକଭ୍‌ଙ୍କ ଲେଖା ପଢ଼ିବା ପରେ, ମୋ ନିଜର ନାଟକଗୁଡ଼ିକୁ ଚିରିପକାଇବାକୁ ଇଚ୍ଛା ହୁଏ।’ ‘ଦ ସିଗଲ୍‌’, ‘ଅଙ୍କଲ୍‌ ଭାନ୍ୟା’, ‘ଦ ଥ୍ରି ସିଷ୍ଟର୍ସ‌୍‌’ ଓ ‘ଦ ଚେରି ଅର୍ଚାଡ୍‌’ଙ୍କୁ ତାଙ୍କର ଶ୍ରେଷ୍ଠ ନାଟକ ଭାବେ ଗ୍ରହଣ କରାଯାଇଛି। ‘ଦ ସିଗଲ୍‌’ ନାଟକ ଯେଉଁ ଦିନ ପ୍ରଥମ ଥର ପାଇଁ ସେଣ୍ଟ୍‌ ପିଟ୍‌ସବର୍ଗ‌୍‌ର ଏକ ର˚ଗମଞ୍ଚରେ ପ୍ରଦର୍ଶିତ ହୋଇଥିଲା, ଦର୍ଶକ ବିରକ୍ତ ହୋଇ ଗଣ୍ତଗୋଳ କରିଥିଲେ। ଲିଓ ତଲସ୍ତୟଙ୍କ ଭଳି ମହାନ୍‌ ଲେଖକ ନାଟକର ସମାଲୋଚନା କରିଥିଲେ। ସେହି ଦିନ ଭାଙ୍ଗିପଡ଼ି, ଆଉ କେବେ ମଞ୍ଚ ପାଇଁ ନାଟକ ଲେଖିବେନାହିଁ ବୋଲି ଚେକଭ୍‌ ପ୍ରତିଜ୍ଞା କରିଥିଲେ। ତେବେ, ପରେ ନାଟକଟି ପ୍ରସିଦ୍ଧି ଲାଭକରିବାରୁ ସେ ନାଟକ-ଲେଖା ଜାରିରଖିଥିଲେ। ସେଥିରେ ଅଭିନୟ କରିଥିବା ଅଭିନେତ୍ରୀ ଓଲ୍‌ଗା ନିପର‌୍‌ଙ୍କୁ ସେ ଗୁପ୍ତରେ ବିବାହ କରିଥିଲେ। ହେନ୍‌ରିକ୍‌ ଇବ୍‌ସେନ୍‌ ଓ ଅଗଷ୍ଟ୍‌ ଷ୍ଟ୍ରିଣ୍ଡ୍‌ବର୍ଗ‌୍ ଙ୍କ ପରି ସେ ମଧ୍ୟ ଆଧୁନିକ ମଞ୍ଚ ନାଟକକୁ ଲୋକପ୍ରିୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଗଳ୍ପଗୁଡ଼ିକୁ ପାଠକମାନେ କ୍ଳିଷ୍ଟ ମନେକରୁଥିଲେ। କେହି କେହି ସମାଲୋଚନା ଅାଳରେ ପ୍ରଶ୍ନ କରୁଥିଲେ। ଏହି ପ୍ରସଙ୍ଗରେ ଚେକଭ୍‌ ଏକଦା କହିଥିଲେ- ପାଠକମାନଙ୍କୁ ଉତ୍ତର ଦେବା ପାଇଁ ଲେଖକ ଲେଖେନାହିଁ; ବରଂ, ନିଜର ରଚନା ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରେ।

ଚେକଭ୍‌ ଡାକ୍ତରୀ ପେସାକୁ ତାଙ୍କର ବୈଧ ପତ୍ନୀ ଓ ରଚନାଗୁଡ଼ିକୁ ରକ୍ଷିତା ଭାବେ ଆଖ୍ୟାୟିତ କରିଥିଲେ। ସେ ଆଜୀବନ ଅଳ୍ପ ଖାଉଥିଲେ ଓ ଖୁବ୍‌ କମ୍‌ ସମୟ ଶୋଉଥିଲେ। ସିଗାର‌୍‌, କାର୍ପେଟ୍‌ ଓ ନେକ୍‌ଟାଇ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏକଦା ସେ ପକ୍ଷୀ ଶିକାର କରିବାକୁ ଭଲପାଉଥିଲେ। ପରେ ଜୀବହତ୍ୟା ପରିତ୍ୟାଗ କରିଥିଲେ। ସେ ଯୋଡ଼ିଏ ବୁଲା-କୁକୁର ଓ ବଗଟିଏ ପାଳିଥିଲେ। ସେ ଯେଉଁଆଡ଼େ ଯାଉଥିଲେ କୁକୁର ଓ ବଗ ସାଙ୍ଗରେ ରହୁଥିଲେ। ଜୀବନର ଶେଷାବସ୍ଥାରେ ସେ ନାସ୍ତିକ ପାଲଟିଥିଲେ। ସେ ଜନ୍ମ ହୋଇଥିଲେ ତାଗାନ୍‌ରୋଗ୍‌ରେ। ତାଙ୍କର ଶୈଶବ ଘୋର ଦାରିଦ୍ର ମଧ୍ୟରେ କଟିଥିଲା। ପିତା ଥିଲେ ଅତ୍ୟାଚାରୀ ଶ୍ରେଣୀୟ। ଅଭାବ ସଙ୍ଗକୁ ଅତ୍ୟାଚାରୀ ଗୃହ-ମୁଖ୍ୟ, ସାରା ପରିବାରର ଅବସ୍ଥାକୁ ଦୁର୍ବିଷହ କରିଥିଲା। ନୂଆ ଘର ତିଆରିକରିବା ପାଇଁ ନେଇଥିବା ଋଣ ପରିଶୋଧ କରି ନ ପାରିବାରୁ, ତାଙ୍କ ପିତା ପରିବାରକୁ ଛାଡ଼ି ଲୁଚି ମ‌ସ୍‌କୋ ପଳାଇଯାଇଥିଲେ। ପରିବାର ଦାୟିତ୍ବ ଚେକଭ୍‌ଙ୍କ ଉପରେ ପଡ଼ିଥିଲା ଏବଂ ଯାହା କିଛି ମୂଲ୍ୟବାନ୍‌ ଜିନିଷ ବଂଚିଥିଲା, ତାହାକୁ ବିକି ତାଙ୍କୁ ଘର ଚଳାଇବାକୁ ପଡ଼ିଥିଲା। ଚେକଭ୍‌ଙ୍କ ଗଳ୍ପ ଓ ନାଟକର କେତେକ ଚରିତ୍ର ଠିକ୍‌ ତାଙ୍କ ପିତାଙ୍କ ଅନୁରୂପ। ଯୌବନରେ ସେ ରାଜଯକ୍ଷ୍ମା ପୀଡ଼ିତ ହୋଇଥିଲେ, ଯାହା ଭଲ ହୋଇ ନ ଥିଲା। ସୁସ୍ଥ ହେବା ପାଇଁ ସେ କିଣ୍ବିତ ଘୋଡ଼ୀ ଦୁଗ୍‌ଧ ପାନ କରୁଥିଲେ ହେଁ, ଏହି ରୋଗ ଯୋଗୁଁ ମାତ୍ର ଚଉରାଳିଶ ବର୍ଷ ବୟସରେ ଅକାଳରେ ତାଙ୍କର ଦେହାନ୍ତ ହୋଇଥିଲା। ଜର୍ମାନି ଅନ୍ତର୍ଗତ ବ୍ଲାକ୍‌ ଫରେଷ୍ଟ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମରଶରୀରକୁ ଗେଣ୍ଡା-ଶାମୁକା ଆମଦାନି କରାଯାଉଥିବା ଏକ ଫ୍ରିଜ୍‌ରରେ ରଖି, ରେଳରେ ମସ୍‌କୋ ଅଣାଯାଇଥିଲା। ବନ୍ଧୁ ମାକ୍‌ସିମ୍‌ ଗର୍କି, ତାହା ଦେଖି ଅତ୍ୟନ୍ତ ବିରକ୍ତ ହୋଇଥିଲେ। ତାଙ୍କ ଅନ୍ତିମ ଶୋଭାଯାତ୍ରାରେ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ ଏବଂ ସାମରିକ ବ୍ୟାଣ୍ଡ୍‌ ବାଜିଥିଲା। ଏହାର କାରଣ ମଧ୍ୟ କୌତୂହଳଜନକ। ସଂଯୋଗବଶତଃ ଯେଉଁ ଦିନ ଚେକଭ୍‌ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା, ସେହି ଦିନ ଜେନ୍‌ରାଲ୍‌ କେଲର୍‌ ନାମକ ଜଣେ ବିଶିଷ୍ଟ ସାମରିକ ଅଧିକାରୀଙ୍କର ମଧ୍ୟ ଅନ୍ତିମ ସଂସ୍କାର ହେଉଥିଲା। ଲୋକେ ତଥା ସାମରିକ ବାଦକ ଦଳ ଭୁଲ୍‌ବଶତଃ, ଚେକଭ୍‌ଙ୍କ ଅନ୍ତିମ ‌େଶାଭାଯାତ୍ରାରେ ଯୋଗଦେଇଥିଲେ।

Spread the love

Be the first to comment

Leave a Reply

Your email address will not be published.


*